ପୂଜାର ଆଲୋକ ଭିତରେ ଲୁଚିଥିବା ଅନ୍ଧାର
ଦୁର୍ଗାପୂଜା ସରିଯାଇଥିଲା। ଗାଁର ମଣ୍ଡପରେ ଆଉ ସେହି ଭିଡ଼ ନଥିଲା। ହେଲେ କିଛି ଦିନ ପରେ କୁମାର ପୂର୍ଣ୍ଣିମା ଓ ମାଆ ଲକ୍ଷ୍ମୀଙ୍କ ପୂଜା ଥିବାରୁ ପ୍ରତ୍ୟେକ ଘରେ ପୁଣି ଖୁସିର ମାହୋଲ ଥିଲା। କିଏ ଘର ଲିପାପୋଛା କରୁଥିଲା, କିଏ ଝୋଟି ପକାଉଥିଲା, ଆଉ କିଏ ପୂଜା ପାଇଁ ସାମଗ୍ରୀ କିଣିବାରେ ବ୍ୟସ୍ତ ଥିଲା।
ସମସ୍ତେ ଚାହୁଁଥିଲେ, ମାଆ ଲକ୍ଷ୍ମୀ ତାଙ୍କ ଘରକୁ ଆସନ୍ତୁ, ସୁଖ ଓ ସମୃଦ୍ଧି ଦିଅନ୍ତୁ।
କିନ୍ତୁ ଏହି ଖୁସିର ପରିବେଶ ଭିତରେ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା ଗୋଟିଏ ଖବର। ମାତ୍ର ୧୪ ବର୍ଷର ଗୋଟିଏ ନିରୀହ ଝିଅ ସହ ଦୁଷ୍କର୍ମ ହୋଇଥିଲା ଏବଂ ତାକୁ ହତ୍ୟା କରାଯାଇଥିଲା।
ଯେଉଁ ବୟସରେ ଝିଅଟି ସାଙ୍ଗମାନଙ୍କ ସହ ଖେଳିବା କଥା, ସ୍କୁଲରେ ପାଠ ପଢ଼ିବା କଥା, ନିଜ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବା କଥା, ସେହି ବୟସରେ ତା’ ଜୀବନ ସବୁଦିନ ପାଇଁ ଶେଷ ହୋଇଗଲା। ତା’ର ଭୁଲ୍ କ’ଣ ଥିଲା? ସେ ଝିଅ ହୋଇ ଜନ୍ମ ନେଇଥିଲା ବୋଲି?
ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନଥିଲା।
ତା’ ମାଆ ଯେତେବେଳେ ନିଜ ଝିଅର ପୁରୁଣା ପୋଷାକ ଦେଖୁଥିବେ, ତା’ର ବହିଖାତା ଖୋଲୁଥିବେ, ସେତେବେଳେ ତାଙ୍କ ମନର ଅବସ୍ଥା କ’ଣ ହେଉଥିବ? ଯେଉଁ ମାଆ ଦିନେ ଝିଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଥିଲେ, ଆଜି ସେହି ମାଆ ନିଜ ଝିଅର ଫେରିବା ବାଟକୁ ଚାହିଁ ରହିବାର ସୁଯୋଗ ମଧ୍ୟ ହରାଇଛନ୍ତି।
ସମାଜରେ ଏମିତି ଘଟଣା ଘଟିଲେ ଆମେ କିଛି ଦିନ ପାଇଁ ଦୁଃଖ ପ୍ରକାଶ କରୁ। ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରୁ। ସୋସିଆଲ ମିଡିଆରେ ଅନେକ କଥା ଲେଖୁ। ହେଲେ କିଛି ଦିନ ପରେ ସବୁକିଛି ଭୁଲିଯାଉ। ପୁଣି ଆଗ ଭଳି ନିଜ ନିଜ କାମରେ ବ୍ୟସ୍ତ ହୋଇଯାଉ।
କିନ୍ତୁ ଯେଉଁ ପରିବାର ନିଜ ଝିଅକୁ ହରାଇଛି, ସେହି ପରିବାର ପାଇଁ କ’ଣ ସେ ଦୁଃଖ କେବେ ଶେଷ ହେବ?
ଆମେ ନବରାତ୍ରିରେ ମାଆ ଦୁର୍ଗାଙ୍କୁ ପୂଜା କରୁ। ମାଆଙ୍କ ହାତରେ ଅସ୍ତ୍ର ଦେଖି ଅନ୍ୟାୟ ବିରୋଧରେ ଲଢ଼ିବାର ଶକ୍ତି ପାଉ। ଲକ୍ଷ୍ମୀପୂଜାରେ ଘରକୁ ସଫା କରି ଦୀପ ଜାଳୁ। କୁମାର ପୂର୍ଣ୍ଣିମାରେ ଜହ୍ନକୁ ଦେଖି ଖୁସି ହେଉ।
ହେଲେ ଥରେ ଭାବନ୍ତୁ, ଯେଉଁ ସମାଜରେ ଗୋଟିଏ ଛୋଟ ଝିଅ ନିଜକୁ ସୁରକ୍ଷିତ ମନେ କରିପାରୁନି, ସେଠାରେ ଆମ ପୂଜାର ପ୍ରକୃତ ଅର୍ଥ କ’ଣ?
ମାଆଙ୍କ ମୂର୍ତ୍ତିକୁ ଫୁଲ ଦେବା ସହିତ ଆମ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆଣିବା ଦରକାର। ପିଲାମାନଙ୍କୁ ଛୋଟବେଳୁ ନାରୀଙ୍କୁ ସମ୍ମାନ କରିବା ଶିଖାଇବା ଦରକାର। ଝିଅମାନଙ୍କୁ କେବଳ ସାବଧାନ ରହିବାକୁ କହିଦେଲେ ହେବନି, ପୁଅମାନଙ୍କୁ ମଧ୍ୟ ନିଜ ଆଚରଣ ଓ ଦାୟିତ୍ୱ ବିଷୟରେ ଶିକ୍ଷା ଦେବାକୁ ପଡ଼ିବ।
ଘରେ ବାପାମାଆ ପିଲାଙ୍କ କଥା ଶୁଣନ୍ତୁ। ସ୍କୁଲରେ ଶିକ୍ଷକମାନେ ସୁରକ୍ଷା ଓ ଭଲ ଆଚରଣ ବିଷୟରେ ବୁଝାନ୍ତୁ। କୌଣସି ଶିଶୁ ଅସ୍ୱସ୍ତିକର ଅନୁଭବ ବିଷୟରେ କହିଲେ ତାକୁ ଅବିଶ୍ୱାସ ନକରି ଗମ୍ଭୀରତାର ସହ ଶୁଣନ୍ତୁ। ଆଉ ଏମିତି ଅପରାଧ ଘଟିଲେ ଚୁପ୍ ନରହି ଆଇନର ସହାୟତା ନିଅନ୍ତୁ।
କାରଣ ଗୋଟିଏ ଶିଶୁର ସୁରକ୍ଷା କେବଳ ତା’ ବାପାମାଆଙ୍କ ଦାୟିତ୍ୱ ନୁହେଁ, ଏହା ସମଗ୍ର ସମାଜର ଦାୟିତ୍ୱ।
ଏହି କୁମାର ପୂର୍ଣ୍ଣିମାରେ ଆମେ ମାଆ ଲକ୍ଷ୍ମୀଙ୍କୁ ଧନସମ୍ପତ୍ତି ମାଗିବା ସହିତ ଏମିତି ଏକ ସମାଜ ମଧ୍ୟ ମାଗିବା, ଯେଉଁଠି ପ୍ରତ୍ୟେକ ଝିଅ ଭୟ ନୁହେଁ, ଆତ୍ମବିଶ୍ୱାସ ନେଇ ବଞ୍ଚିବ।
ମାଆ ଦୁର୍ଗାଙ୍କ ଆରାଧନା ସେତେବେଳେ ସାର୍ଥକ ହେବ, ଯେତେବେଳେ ଆମେ ନିଜ ଭିତରର ଖରାପ ଚିନ୍ତାଧାରାକୁ ଦୂର କରିବା। ମାଆ ଲକ୍ଷ୍ମୀଙ୍କ ପୂଜା ସେତେବେଳେ ସାର୍ଥକ ହେବ, ଯେତେବେଳେ ପ୍ରତ୍ୟେକ ଘରର ଝିଅକୁ ସମ୍ମାନ ଓ ସୁରକ୍ଷା ମିଳିବ।
ପର୍ବ ଆସିବ, ପୂଜା ହେବ, ଦୀପ ଜଳିବ, ଜହ୍ନ ହସିବ। କିନ୍ତୁ ଆମ ସମାଜର ମାନସିକତା ବଦଳିବ କେବେ?
ଆସନ୍ତୁ, ଏଥର କେବଳ ଘରେ ଦୀପ ନଜାଳି ନିଜ ମନରେ ମଧ୍ୟ ମାନବିକତାର ଦୀପ ଜାଳିବା। ଯେପରି ଆଉ କୌଣସି ବାପାମାଆଙ୍କୁ ନିଜ ଛୋଟ ଝିଅର ମୃତ୍ୟୁ ପାଇଁ ଲୁହ ଝରାଇବାକୁ ନପଡ଼େ।
କାରଣ ଗୋଟିଏ ଝିଅର ଜୀବନ ହରାଇବା ମାନେ କେବଳ ଗୋଟିଏ ପରିବାରର ସ୍ୱପ୍ନ ଭାଙ୍ଗିବା ନୁହେଁ, ସମଗ୍ର ସମାଜର ମାନବିକତା ହାରିଯିବା।
ପଙ୍କଜ କୁମାର ଜେନା
ଭୋଗରାଇ, ବାଲେଶ୍ଵର



0 Comments